ସରକାରଙ୍କ ଦୃଷ୍ଟି ଆଢୁଆଳରେ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଧନିଆ ପାହାଡ଼ :-

ରାସ୍ତା ନାହିଁ,ବିଦ୍ୟୁତ ଆଲୋକ,ପାନୀୟ ଜଳ ଓ ବ୍ୟବସ୍ଥା ଶୁନ ।
ଛତିଆ ବଡ଼ଚଣାର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ପାହାଡ଼ ପର୍ବତରେ ଐତିହାସିକ ତଥା ପୌରାଣିକ କିମ୍ବଦନ୍ତୀ ଭରି ରହିଛି । ଏମିତି କୌଣସି ପାହାଡ଼ ନାହିଁ ଯେଉଁଥିରେ ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ ନଥିବ । ତେବେ ଛତିଆ ନିକଟ ସୋଲର ଗ୍ରାମରେ ଥିବା ପ୍ରସିଦ୍ଧ ଐତିହ୍ୟ ସମ୍ପନ୍ନ ଧନିଆ ପାହାଡ଼ରେ ବହୁ କୀର୍ତ୍ତି ରହିଥିବା ବେଳେ ଏହାର ସୁରକ୍ଷା ସହିତ ଏହାର ଆବଶ୍ୟକ ବିକାଶ କରାଯାଉ ନାହିଁ । ଫଳରେ ଏହି ଧନିଆ ପାହାଡ ଲୋକଲୋଚନକୁ ଆସି ପାରୁନାହିଁ । ଏହି ଧନିଆ ପାହାଡ଼ କୋଳରେ ପ୍ରସିଦ୍ଧ ଐତିହାସିକ ଅମରବତୀ ପୀଠ ରହିଛି । କିମ୍ବଦନ୍ତୀ ଅନୁଯାୟୀ ବସୁକଳ୍ପ କେଶରୀ ଅମରାବତୀରେ ଦୁର୍ଗ ନିର୍ମାଣ କରି ଏହାର ସଲଗ୍ନରେ ଥିବା ଧନିଆ ପାହାଡରେ ଜୈନ ସନ୍ୟାସୀ ମାନଙ୍କ ରହଣି ପାଇଁ ଅହିୟାସ ନାମରେ ଗୁମ୍ଫା ଖୋଳାଇଥିଲେ । ଏହି ପାହାଡରେ ଜୈନ ଓ ବୌଦ୍ଧ ସନ୍ୟାସୀ ଅବସ୍ଥାନ କରୁଥିଲେ । ପାହାଡର ଶୀର୍ଷ ଦେଶରେ ନଳୀଗୁମ୍ଫା ନାମରେ ଆଉ ଗୋଟିଏ ଗୁମ୍ଫା ରହିଛି । ଅଯୋଧ୍ୟା ଦାସ ନାମକ ଜଣେ ସନ୍ୟାସୀ ପାହାଡ଼ କାଟି ଏହି ନଳୀଗୁମ୍ଫା ତିଆରି କରି ସେଠାରେ ରହୁଥିଲେ । ଏଠାରେ ଥିବା ଅହିୟାସ ଗୁମ୍ଫାରେ କାହିଁ କେଉଁ କାଳରୁ ଶିବ ପାର୍ବତୀ ମୂର୍ତ୍ତିନିର୍ମାଣ କରାଯାଇ ପୂଜା ପାଇ ଆସୁଛନ୍ତି । ପ୍ରତି ସଂକ୍ରାନ୍ତି ଦିନ ଏଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ । ପାହାଡ଼ ପାଦଦେଶରୁ ଶୀର୍ଷ ପର୍ଯ୍ୟନ୍ତ ଏହି ପାହାଡର ଉଚ୍ଚତା ୫୦୦ ମିଟରରୁ ଅଧିକ ହେବ । ପାହାଡ଼ ଉପରକୁ ରାସ୍ତା ନିର୍ମାଣ କରା ଯାଇନଥିବାରୁ ପୂର୍ବରୁ ଥିବା ଅତି ସଂକୀର୍ଣ୍ଣ ଓ ଅଣ ଓସାରିଆ ପାହାଡିଆ ରାସ୍ତା ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପାହାଡ଼ ଶୀର୍ଷ ଗୁମ୍ଫାରେ ପୂଜା ପାଇ ଆସୁଥିବା ଶିବ ପାର୍ବତୀଙ୍କ ପୂଜାର୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ସମସ୍ୟା ଦେଇ ସେଠାକୁ ଯାତାୟାତ କରିଥାନ୍ତି । ଅପରପକ୍ଷରେ ପାହାଡ଼ ଶୀର୍ଷରେ ବିଦ୍ୟୁତ ଆଲୋକ ବା ପାନୀୟ ଜଳର ବ୍ୟବସ୍ଥା ଆଦୌ ନାହିଁ । ପୂଜକ ହାତରେ ପାଣି ଧରି ପ୍ରତି ସଂକ୍ରାନ୍ତିରେ ସେଠାକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ପାହାଡ଼ ପାଦ ଦେଶରେ ମା’ ମଙ୍ଗଳାଙ୍କ ମନ୍ଦିର ରହିଛି । ତେବେ ଏଭଳି ଏକ ଐତିହ ସମ୍ପନ୍ନ ପାହାଡର ବିକାଶ ପାଇଁ ସରକାର କାହିଁକି ଦୃଷ୍ଟି ଦେଉ ନାହାନ୍ତି ତାହା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପାହାଡ଼ ଶୀର୍ଷ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହିତ ସେଠାରେ ପାନୀୟ ଜଳ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା କରିବା ପାଇଁ ଏଥିପାଇଁ ଅହରହ ଉଦ୍ୟମ କରି ଆସୁଥିବା ବିଶିଷ୍ଟ ସମାଜସେବୀ ମାଧବାନନ୍ଦ ମହାପାତ୍ର ଦୃଢ଼ ଦାବି କରିଛନ୍ତି ।