ଡେଙ୍ଗୁ ରୋଗ ମୁକାବିଲା ନେଇ ରାଜ୍ୟ ସରକାରଙ୍କ “ନିଷ୍କ୍ରିୟତା ଓ ଉଦାସିନତା” ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି :-

ଭୁବନେଶ୍ୱର, ତା.21/08 : “ଗଲି ଗଲି ମେ ଶୋର୍ ହେ, ଡେଙ୍ଗୁ ବଡା ଜୋର୍ ହେ” । ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବାବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି । ରାଜ୍ୟସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ଏବଂ ବିଶେଷ ଭାବେ ଦୈତ୍ୱନଗରୀ ଭୁବନେଶ୍ୱର ଓ କଟକରେ ଏହା ଭୟଙ୍କର ରୂପ ନେଇଛି । କେବଳ ଭୁବନେଶ୍ୱରରେ ୧୫ଶହ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ରୁ ଅଧିକ ପୀଡିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି । ଦୈତନଗରୀ ଭୁବନେଶ୍ୱର ଓ କଟକର ପ୍ରତି ତୃତୀୟ ଘରେ ଡେଙ୍ଗୁ ପୀଡିତ । ରାଜ୍ୟରେ ସ୍ୱାୟତ ଶାସନ ବାଟବଣା ହୋଇଛି । ରାଜଧାନୀ ସହରରେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଉଭୟଙ୍କ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ପ୍ରତି ବର୍ଷ ଡେଙ୍ଗୁ ରୋଗ କାୟା ବିସ୍ତାର କରିଚାଲିଛି । ୨୩ ବର୍ଷ ଶାସନରେ ଥିବା ସତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ସର୍ବଦା ଚିତ୍କାର କରି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁରେ ଆକ୍ରାନ୍ତ ପୀଡିତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘଦିନ ଏ ସରକାର ଶାସନ କରୁଥିବାରୁ ଅଫିସରମାନେ ଉପର ମୁହାଁ ହୋଇଛନ୍ତି । ଫଳରେ ‘ତୋଗଲକି ଶାସନ’ ଭଳି ଯାହା ପାଟିରୁ ବାହାରିଲା ତାହା ଆଇନରେ ପରିଣତ କରିଦେଉଛନ୍ତି । “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” – ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ଚରମ ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ରାଜ୍ୟ ସରକାର ସଠିକ୍ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ, ଯଥା ମଶାତେଲ, ଜାଗା ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ଡେଙ୍ଗୁ ରୋଗ ନିୟନ୍ତ୍ରଣହୀନ ହେବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ମିଛ ପ୍ରଚାର ପ୍ରସାର କରି ବାଃ ବାଃ ନେବା ପାଇଁ ଉଦ୍ୟମ କଲେ ସତ, କିନ୍ତୁ ଗ୍ରାଉଣ୍ଡ ଜିରୋରେ କୈାଣସି ପଦକ୍ଷେପ ନେଲେ ନାହିଁ । ଏପରିକି ଲୋକେ ଡେଙ୍ଗୁରେ ପ୍ରାଣ ହରାଉଥିଲେ ବି ଡେଙ୍ଗୁ ମୃତ୍ୟୁକୁ ସ୍ୱୀକାର ନକରି ‘ନେଡି ଗୁଡ କହୁଣୀକୁ ବୋହି ଗଲା’ ପରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ନିଜ ଦାୟୀତ୍ୱ କର୍ତବ୍ୟରୁ ପଳାୟନପନ୍ଥୀ ହେଲେ । ବର୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାଙ୍କୁ କେଉଁ ସହାୟତା ମିଳିବ ଓ ଯେଉଁମାନେ ଚିକିତ୍ସିତ ଅଛନ୍ତି ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ? ରାଜ୍ୟ ସରକାର ତାହା ସାର୍ବଜୀନନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ରାଜ୍ୟ ସରକାର ୨୩ବର୍ଷ ଶାସନରେ ରହିବି ସହରାଂଚଳବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା, ମନ୍ତ୍ରୀମାନେ “ଓଡ଼ିଶାର ସ୍ୱାସ୍ଥ୍ୟସେବା” ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି । ଲୋକେ ଡେଙ୍ଗୁରେ ପ୍ରତ୍ୟେକ ଦିନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ବିଏମ୍‌ସି ଓ ସିଏମ୍‌ସି ଭଳି ଅନୁଷ୍ଠାନ ସ୍ୱାୟତ ଶାସନକୁ ଦିଗହରା କରିବା ସହ ଲୋକଙ୍କ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ଡେଙ୍ଗୁ ରୋଗ ମୁକାବିଲା ନେଇ ରାଜ୍ୟ ସରକାରଙ୍କ “ନିଷ୍କ୍ରିୟତା ଓ ଉଦାସିନତା” ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ବିଜେଡି ସରକାରରେ “ଡେଙ୍ଗୁ” ବି ବିଶ୍ୱସ୍ତରୀୟ ଏବଂ ଏହାକୁ ଏକ ଉପହାର ଭାବେ ବିଏମସି ଭୁବନେଶ୍ୱରବାସିନ୍ଦାଙ୍କୁ ପ୍ରଦାନ କରିଛି । ପ୍ରତ୍ୟେକ ଦିନ ରାଜଧାନୀର ଡେଙ୍ଗୁ ରୋଗୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବି ସେମାନଙ୍କ ପାଇଁ “ବେଡ୍‌”ର ସୁବିଧା ନାହିଁ । ନାଳ ନର୍ଦ୍ଦମା ସଫା ଆଳ କରି ସମସ୍ତ ଡ୍ରେନ ଓ ନାଳ ଖୋଲି ଦିଆଗଲା ସତ, କିନ୍ତୁ ଅଧାପନ୍ତରିଆ ହୋଇ ସଫା କାର୍ଯ୍ୟ ରହିଗଲା । କେଉଁଠି ସଫା ହେଲା ନାହିଁ ତ, ଆଉ କେଉଁଠି ଡ୍ରେନକୁ ଘୋଡା ଗଲା ନାହିଁ । ନାଳ ନର୍ଦ୍ଦମାରୁ ବାହାରିଥିବା ଆବର୍ଜନାକୁ ହଟା ଗଲା ନାହିଁ । ବିଏମସି ମେୟର ବୁଲି ବୁଲି ଯାହା ପ୍ରଚାର କରିଥିଲେ, ତାର ଠିକ ବୀପରିତ କାର୍ଯ୍ୟ କରାଗଲା । ଖର୍ଚ୍ଚ ପାଇଁ ଆସିଥିବା ଟଙ୍କାକୁ ମିଳିମିଶି ଖାଇଗଲେ । ମେୟର ଓ କମିଶନର ମିଥ୍ୟା ପ୍ରତିଶ୍ରୁତି ପାଇଁ ରାଜଧାନୀବାସୀ କାହିଁକି ସର୍ବଦା ଦୁଃଖ ଭୋଗିବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ମେୟର ଓ କମିଶନର ଡେଙ୍ଗୁ ପାଇଁ ପଦକ୍ଷେପ ନନେଇ କ୍ରିକେଟ୍ ଖେଳୁଛନ୍ତି ଯାହା ରାଜଧାନୀବାସୀଙ୍କ ପ୍ରତି ଉପହାସ । ଡେଙ୍ଗୁ ମଶାଙ୍କ ନିୟନ୍ତ୍ରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ବିଜେପି ଜିଲ୍ଲା ପକ୍ଷରୁ ଧୂଆଁ ଦ୍ୱାରା ମଶାଙ୍କ ନିପାତ ପାଇଁ ସବୁ ୱାର୍ଡରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ସାଧାରଣଙ୍କ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହାତ ଟେକି ବସିଛନ୍ତି ରାଜ୍ୟ ସରକାର ଓ ମ୍ୟୁନିସପାଲଟି ବୋଲି ଶ୍ରୀ ସିଂ କହିଛନ୍ତି ।