ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି। କି ପିଲା କି ବୁଢ଼ା ସଭିଏଁ ସ୍ମାର୍ଟ ଫୋନ୍ ମାୟାରେ ବାୟା। ଏହା ଏବେ ଡ୍ରଗ୍ସ, ହେରଇନ ଆଦି ନିଶା ଦ୍ରବ୍ୟ ଭଳି ସମସ୍ତଙ୍କୁ ଏପରି ବଶ କରିଛି ଯେ ଏଇ ଫୋନ୍ ଆଡ଼ିକ୍ସନରୁ ମୁକୁଳିବା ଆଦୌ ସହଜ ନୁହେଁ। ଏପରି ଫୋନରେ କଥା ହୋଇହୋଇ ମା’ ନିଜ ପିଲାକୁ ଫ୍ରିଜରେ ରଖି ଭୁଲି ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ଜଣେ ମହିଳା ଫୋନରେ କଥା ହେଉଛନ୍ତି। ପାଖରେ ତାଙ୍କର ଛୋଟ ଛୁଆଟି ଖେଳୁଛି। କଥା ହୋଇହୋଇ ସେ ପରିବା କାଟିବାରେ ବ୍ୟସ୍ତ ଅଛନ୍ତି। କଥାରେ ସେ ଏତେ ମଜ୍ଜି ଯାଇଛନ୍ତି ଯେ ପିଲା କଥା ପୁରା ଭୁଲି ଯାଇଛନ୍ତି। ପରିବା କାଟି ସେ ଫ୍ରିଜରେ ରଖିବା ପରିବର୍ତ୍ତେ ପିଲାକୁ ଫ୍ରିଜରେ ଭର୍ତ୍ତି କରି ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ପିଲା କଥା ସେ ସଂପୂର୍ଣ୍ଣ ଭୁଲି ଯାଇ କଥା ହେବାରେ ଲାଗିଛନ୍ତି।

କିଛି ସମୟ ପରେ ମହିଳାଙ୍କର ସ୍ୱାମୀ ଆସି ପିଲା ବିଷୟରେ ପଚାରିବାରୁ ସେ ଚିନ୍ତିତ ଜଣାପଡୁଛନ୍ତି। ଏଥିସହ ପିଲା ନମିଳିବାରୁ ସେ କାନ୍ଦିବା ଆରମ୍ଭ କରିଦେଲେ। ଏହାପରେ ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ। ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି।