ଡିଆଇଜି ପତ୍ନୀଙ୍କୁ ଖସାଇ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା : ଡ.ଲେଖାଶ୍ରୀ

କଟକ, ତା.୨୨/୦୮: କାର୍ଯ୍ୟରତ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଦୁଇଟି ଗୋଡ ହରାଇବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁତର ଅବସ୍ଥାରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂପୃକ୍ତ ହୋମଗାର୍ଡଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କଟକ ଗସ୍ତ କରିଥିଲେ ।
୭ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାମରେ ହୋମଗାର୍ଡ ଶ୍ରୀମତୀ ସୈରିନ୍ଦ୍ରି ସାହୁଙ୍କୁ ନିୟୋଜିତ କରାଯାଇଥିଲା । ଯାବତୀୟ ଘରୋଇ କାମ କରୁଥିବା ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ସମୟରେ ଡିଆଇଜି ଶ୍ରୀ ରାୟଙ୍କ ପତ୍ନୀ ଧମକ ଓ ମାଡ ଦେଉଥିଲେ । ଏଭଳି ନିଯ୍ୟାତନା ଓ ଚାକିରୀ ଚାଲିଯିବା ଭୟରେ ଶ୍ରୀମତୀ ସାହୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ମଧ୍ୟ ନେଇଥିଲେ । ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଂଚିଯାଇଥିଲେ । କିନ୍ତୁ ସବୁଦିନ ପାଇଁ ତାଙ୍କ ଦୁଇ ଗୋଡ ହରାଇ ଦେଇଛନ୍ତି । ଗତ ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଘଟଣାକୁ ରଫାଦଫା କରିବା କାର୍ଯ୍ୟରେ ପୋଲିସ ଓ ପ୍ରଶାସନ ଲାଗିପଡିଛନ୍ତି । ଏପରିକି ଏଭଳି ଅମାନବୀୟ ଓ ଅପରାଧିକ କାର୍ଯ୍ୟରୁ ଡିଆଇଜି ଦଂପତିଙ୍କୁ ଖସାଇ ଦେବାର ବିଧିବଦ୍ଧ ଯୋଜନା ରାଜ୍ୟ ସରକାର କରୁଛନ୍ତି ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଡ,ଲେଖାଶ୍ରୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଆଜି କଟକସ୍ଥିତ ଅଶ୍ୱିନୀ ହସ୍‌ପିଟାଲରେ ଚିକିତ୍ସିତ ହୋମଗାର୍ଡ ଶ୍ରୀମତୀ ସାହୁଙ୍କୁ ଭେଟିବାକୁ ଯାଇଥିଲେ । ପ୍ରତିନିଧି ଦଳ ଆସିବାର ସୁଚନା ପାଇ ପୋଲିସ ଛାଉଣୀରେ ଘେରି ହୋଇଥିବା ଅଶ୍ୱିନୀ ହସ୍‌ପିଟାଲର କର୍ତୃପକ୍ଷ ଭିତରକୁ ଯିବା ପାଇଁ ବାରଣ କରିଥିଲେ । ଏପରିକି ପୋଲିସ ଓ ପ୍ରଶାସନର ଚାପରେ କିଛି ତଥ୍ୟ ଲୁଚାଉଥିବାର ହସ୍‌ପିଟାଲ କତୃପକ୍ଷଙ୍କ ଆଚରଣ ଓ ବ୍ୟବହାର ସ୍ପଷ୍ଟ ଜଣାପଡୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହା ପରେ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟନୁଷ୍ଠାନ ସ୍ୱରୂପ ସଂପୃକ୍ତ ପୋଲିସ ଡିଆଇଜି ଶ୍ରୀ ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ଖବର ପ୍ରତିନିଧି ଦଳଠାରୁ ଜାଣିବା ପରେ ଡିଜିପି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଡିଆଇଜିଙ୍କ ବଦଳି ସଂପର୍କରେ କେବଳ ଆଲୋଚନା ହୋଇଛି ଏବଂ ବଦଳି ହୋଇଯାଇଥିବା ନିଷ୍ପତି ପ୍ରସଙ୍ଗରେ ଡିଜିପି ଜାଣିନଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଡିଆଇଜିଙ୍କ ବଦଳି ସଂପର୍କରେ ଡିଜି ଅବଗତ ନଥିବାରୁ “ସରକାର କିଏ ଚଲାଉଛି” ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଘଟଣା ଘଟିବାର ୧୭ ଦିନ ପରେ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଡିଆଇଜିଙ୍କୁ ବଦଳି କରିଦେଇଛନ୍ତି ସତ, କିନ୍ତୁ ଏହା ପ୍ରକୃତ ଦଣ୍ଡ ନୁହେଁ । ଡିଆଇଜି ଦଂପତିଙ୍କ ବିରୁଦ୍ଧରେ ଆଇନଗତ ଏବଂ ଅପରାଧିକ ମାମଲା ଅନୁଯାୟୀ ଦଣ୍ଡବିଧାନ କରାଯାଉ । ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସାହୁ ୨୨ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ନିଜ ୨ ଅବିବାହିତ ଝିଅଙ୍କ ସହ ଅତ୍ୟନ୍ତ କଷ୍ଟରେ ବାସ କରୁଛନ୍ତି । ତେଣୁ ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ଶ୍ରୀମତୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ ସରକାରୀ ଚାକିରୀ ଦିଆଯାଉ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଅନ୍ୟ ପଟେ ହୋମ୍ ଗାର୍ଡ ଭାଇଭଉଣୀମାନଙ୍କୁ ଅନଧିକୃତ କାର୍ଯ୍ୟରୁ ବାଦ୍ ରଖାଯିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ବିଜେପି ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସିକନ୍ଦର ଅଲ୍ଲୀ, ରଶ୍ମୀରେଖା ଦାଶ, ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।