ଟଙ୍କା ବାଂଟୁଛି ବିଜେଡି,,,ଅଭିଯୋଗ ଆଣିଲେ ବିଜେପି ପ୍ରତିନିଧି ଦଳ :

ଭୁବନେଶ୍ୱର, : ଦୀର୍ଘ ୨୩ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି । ବିଜୁ ଜନତା ଦଳ ନିର୍ବାଚନ ବୈତରଣୀପାର ହେବା ପାଇଁ ଏସ୍‌ଏଚଜି ମା’ମାନଙ୍କୁ ଅସ୍ତ୍ର କରିଛି । ସିଆରପିମାନେ ମିଶନଶକ୍ତି ମା’ମାନଙ୍କୁ ଏକଜୁଟ୍ କରି ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଯାହା ଗଣତନ୍ତ୍ର ବିରୋଧୀ । ବିଜୁ ଜନତା ଦଳ ସର୍ବଦା ନିର୍ବାଚନ ହେଉ ଅବା ଉପନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ । ଧର୍ମଶାଳା ବ୍ଲକର କୋତପୁର ଗାଁରେ ସିଆରପି ସୁକାନ୍ତି ଜେନା ମିଶନଶକ୍ତିର ମା’ମାନଙ୍କୁ କୋଟପୁର ଗାଁର ସରସ୍ୱତୀ ଶିଶୁ ମନ୍ଦିରରେ ବୈଠକ କରିଥିଲେ । ଏହି ବୈଠକରେ ଶାସକ ଦଳ କିଭଳି ଜିତିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ସହ ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫ଶହ ଟଙ୍କା ବାଂଟିଥିଲେ । ଏନେଇ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।
୧୫ନଂ ଜୁନ୍ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୯ତାରିଖ ଦିନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଭୋଟକୁ ଶାସକ ଦଳ ନିଜ ସପକ୍ଷରେ ନେବା ପାଇଁ ଦଳୀର ବିଧାୟକ, ବ୍ଲକ ଚେୟାରମ୍ୟାନ, କର୍ମୀ, ସରପଂଚଙ୍କ ସହ କିଛି ସରକାରୀ କଳ ଅନୈତିକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି । ମିଶନଶକ୍ତି ମା’ମାନଙ୍କର ବୈଠକ କରି ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫୦୦ଟଙ୍କା ଦେଉଛନ୍ତି । ଏନେଇ ବିଜେପି ଧର୍ମଶାଳା ବିଡିଓ ଓ ବ୍ଲକ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ କିଛି ସୁଫଳ ମିଳିନାହିଁ ।
ସିଆରପି ସୁକାନ୍ତି ଜେନା ଟଙ୍କା ବାଂଟିବା ଫଟୋ ଓ ଭିଡିଓ ଭାରତୀୟ ଜନତା ପାର୍ଟି ପାଖରେ ରହିଛି । ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେପି । ଧର୍ମଶାଳା ବ୍ଲକରେ ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ସଂପୃକ୍ତ ସିଆରପି, ଶିକ୍ଷକମାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ଦାବି କରିଛି । ଭାରତୀୟ ଜନତା ପାର୍ଟି ଉତେଜନତାପୂର୍ଣ୍ଣ ବୁଥ୍ ଗୁଡିକ ଚିହ୍ନଟ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।