ଓଡିଶା ରାଜ୍ୟର ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି : ସତ୍ୟବ୍ରତ ପଣ୍ଡା,

ଭୁବନେଶ୍ୱର, ତା ୦୧/୦୮: ଦୀର୍ଘ ୨୩ ବର୍ଷର ବିଜେଡି ଶାସନରେ ନିଜକୁ ସୁରକ୍ଷା ନିଜର କୁକର୍ମକୁ ସୁରକ୍ଷା ଦେବା ପାଇଁ ରତ୍ନ ଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି ନବ ଦାସ ହତ୍ୟା କାଣ୍ଡ ପର୍ଯ୍ୟନ୍ତ ଆଇନ ବ୍ୟବସ୍ଥାକୁ ଏକ ଢାଲ ରୂପେ ବିଜେଡି ସରକାର ବ୍ୟବହାର କରିଛନ୍ତି । ଏପରିକି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ଦୁଃସାହସ ମଧ୍ୟ ରାଜ୍ୟ ସରକାର କରୁଛନ୍ତି । ୯୦୦୦ରୁ ଉର୍ଦ୍ଧ୍ୱ ଅଦାଲତ୍ ଅବମାନନା ମକଦ୍ଦମାର ସମ୍ମୁଖୀନ ହେଉଛନ୍ତି ରାଜ୍ୟ ସରକାର । ଏଥି ସକାଶେ ଖୋଦ୍ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଉଦ୍‌ବେଗ ପ୍ରକାଶ କଲେଣି । ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଡଭୋକେଟ୍ ଜେନେରାଲ୍‌ଙ୍କ ତଥ୍ୟାନୁଯାୟୀ, ଓଡିଶା ସରକାରଙ୍କର ୪୧ଟି ବିଭାଗ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି । ଯଦି ମାନ୍ୟବର ହାଇକୋର୍ଟଙ୍କ କୌଣସି ବିଚାରରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି ତେବେ ୯୦ଦିନ ଭିତରେ ‘ସ୍ପେଶିଆଲ ଲିଭ୍ ପିଟିସନ୍‌’ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ଏହି ସମୟ ଅବଧିରେ ରାଜ୍ୟ ସରକାର ଏସ୍‌ଏଲ୍‌ଭିି ପାଇଁ ସୁପ୍ରିମକୋର୍ଟ ଯାଉନାହାଁନ୍ତିି । ମୋଟାମୋଟି କହିବାକୁ ଗଲେ ଅଦାଲତରେ ମକଦ୍ଦମା ପରିଚାଳନାର ବ୍ୟର୍ଥତା କାରଣରୁ ସରକାର ହାରୁଛନ୍ତି । ହାରି ସାରିବା ପରେ ଅଦାଲତଙ୍କର ନିର୍ଦ୍ଦେଶକୁ ମାନୁନାହାଁନ୍ତି ଏବଂ ସେ କାରଣରୁ ଯେଉଁ ଅଦାଲତ ଅବମାନନା ଅଭିଯୋଗ ହେଉଛି ତାହା କ୍ରମଶଃ ବଢିବାରେ ଲାଗିଛି । ଏହା ଫଳରେ କେବଳ ସରକାର ଯେ ବିଚାର ବିଭାଗକୁ ତାତ୍ସଲ୍ୟ କରୁଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାରଙ୍କ ଅର୍ଥକୋଷ ଉପରେ ମଧ୍ୟ ଚାପ ପଡୁଛି । ଯାହାକି ଗରୀବ ଓଡିଆଙ୍କ କଷ୍ଟଲବ୍ଧ ଟିକସ ଅର୍ଥରେ ଭରଣା ହେଉଛି । ଆଇନ ପ୍ରତି ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାରର ପ୍ରତିବଦ୍ଧତା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ବିଧି ବ୍ୟବସ୍ଥାକୁ ଦଳିମକଚି ବାରମ୍ବାର ଟ୍ରେଜେରୀରୁ ପଇସା ଉଠାଇ ବିଭିନ୍ନ ବ୍ୟାଙ୍କରେ ଜମା କରିଦେଉଛନ୍ତି ।ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏ ପ୍ରକାର କାମ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଅନୁମତି ନାହିଁ । କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାରେ ଆସୁଥିବା ଅର୍ଥ ପାଇଁ ଏକ ନିର୍ଦ୍ଦିଷ୍ଟ ସିଙ୍ଗଲ୍ ନୋଡାଲ୍ ଏଜେନ୍ସି ଆକାଉଣ୍ଟ (ଏସ୍‌ଏନ୍‌ଏ ଆକାଉଂଟ)ରେ ଜମା କରିବା କଥା । ରାଜ୍ୟ ସରକାର ତାହା କରୁନାହାଁନ୍ତି । ରାଜକୋଷରୁ ଅର୍ଥ ଉଠାଯାଇ ଉଦ୍ଦିଷ୍ଟ ଯୋଜନାରେ ଖର୍ଚ୍ଚ କରାଯାଉନାହିଁ । ବରଂ ବେଆଇନ ଭାବେ ବ୍ୟାପକ ଅର୍ଥକୁ ବିଭିନ୍ନ ବ୍ୟାଙ୍କ୍ ଖାତାରେ ଜମା କରାଯାଉଛି । ଆୟ ହେଉଥିବା ସୁଧର ହିସାବ କିତାବ ମିଳୁନାହିଁ । ରାଜକୋଷରୁ ଅର୍ଥ ଉଠାଯାଇ ବ୍ୟାଙ୍କ୍‌ରେ ଜମା କରାଯାଇପାରିବ ନାହିଁ ବୋଲି ଗତ ୨୦୨୨ ଜୁଲାଇ ମାସରେ ତତ୍କାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନା “ଡ୍ରଇଂ ଆଣ୍ଡ ଡିସପର୍ସିଂ ଅଫିସର (ଡିଡିଓ)”ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ “ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍‌ସ୍‌-୧୯୬୨” ନିୟମାନୁଯାୟୀ ଦଣ୍ଡିତ ହେବେ ବୋଲି କହିଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ଜଣେ ହେଲେ ଦଣ୍ଡିତ ହୋଇନାହାଁନ୍ତି । ଏହା ହିଁ ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆର୍ଥିକ ଶୃଙ୍ଖଳାର ନଗ୍ନ ନମୁନା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଆର୍ଥିକ ବିଶୃଙ୍ଖଳାର ତୃଣମୁଳ ପ୍ରଭାବ ବର୍ତମାନ ଦୃଶ୍ୟମାନ ହେବାରେ ଲାଗିଛି । ଉଦାହରଣ ସ୍ୱରୁପ, କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ୯୯ଲକ୍ଷ ଟଙ୍କା ଟ୍ରେଜେରୀରୁ ଉଠିଛି କିନ୍ତୁ ଉଦ୍ଦିଷ୍ଟ ପ୍ରକଳ୍ପ / ଯୋଜନା ପାଇଁ ଖର୍ଚ୍ଚ ହୋଇନାହିଁ । ‘ଲୋକାଲ୍ ଅଡିଟ୍ ଫଣ୍ଡ୍‌’ ର ବିବରଣୀ ଅନୁଯାୟୀ ଉଠାଯାଇଥିବା ୯୯ଲକ୍ଷ ଟଙ୍କାର କୌଣସି ଦସ୍ତାବିଜ୍ ବା ଭାଉଚର୍ ନାହିଁ । ଏଥିରେ ଦ୍ୱାଦଶ ଅର୍ଥ କମିଶନ୍‌ର ୨୫ଲକ୍ଷ ୩୦ହଜାର, ବିଧବା ଭତାରୁ ୨୧ ଲକ୍ଷ ଟଙ୍କା, ବାର୍ଦ୍ଧକ୍ୟ ଭତା ୧୫ଲକ୍ଷ ଟଙ୍କା, ମନରେଗାର ୧୯ଲକ୍ଷ ଟଙ୍କା ଏବଂ ବିଧାୟକ ପାଂଠିର ୯୧ହଜାର ଟଙ୍କାର ହିସାବ ମିଳୁନାହିଁ । ଅର୍ଥାତ୍ ବିତୀୟ ଶୃଙ୍ଖଳା ରକ୍ଷା କରିବାର ଯେଉଁ ସର୍ବନିମ୍ନ ମାପଦଣ୍ଡ ଅଛି ରାଜ୍ୟ ସରକାର ତାକୁ ପାଳନ କରୁନାହାଁନ୍ତି । ବୋଲି ସତ୍ୟବ୍ରତ ପଣ୍ଡା କହିଛନ୍ତି,