ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ  :-

ଭୁବନେଶ୍ୱର, ତା ୦୧/୦୮: ବିଜେଡି ସରକାରର ମନୋମୁଖୀ ଶାସନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରର ଶିକାର ହେଉଛନ୍ତି ନିରୀହ ଛାତ୍ର ଓ ଯୁବ ସମାଜ । ରାଜ୍ୟର ସମୃଦ୍ଧି ଓ ପ୍ରଗତି କାର୍ଯ୍ୟରେ ନିୟୋଜିତ ହେବା ପରିବର୍ତେ ଆଜି ଛାତ୍ର ଓ ଯୁବକମାନେ ରାଜ ରାସ୍ତାରେ ବସି ରହି ନିଜ ହକ୍ ସକାଶେ ଆନ୍ଦୋଳନ କରୁଛନ୍ତି । ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଅମଳରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେବା, ଟଙ୍କା ବଦଳରେ ଚାକିରୀ ବିକ୍ରୀ ହେବା ଭଳି ଘଟଣା ରାଜ୍ୟର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ଗୋଟିଏ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନସରୁଣୁ ଆଉ ଏକ ପ୍ରଶ୍ନପତ୍ର ପ୍ରଘଟ ହେବା ସମସ୍ତଙ୍କୁ ଆଚମ୍ବିତ କରିବା ସହିତ ରାଜ୍ୟ ସରକାରଙ୍କ ନୀରବତା ଏବଂ ଆଭିମୁଖ୍ୟ ଅତ୍ୟନ୍ତ କଷ୍ଟଦାୟକ । ବିଜେଡି ସରକାର ଅମଳରେ “ପରୀକ୍ଷା ରୁ ନିଯୁକ୍ତି”-ସର୍ବତ୍ର କେଳେଙ୍କାରୀ ବ୍ୟାପୀ ରହିଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଓଡିଶା ଷ୍ଟାଫ୍ ସିଲେକ୍ସନ ଆଜି ନିଜ ବିଶ୍ୱସନୀୟତା ହରାଇ ବସିଛି । ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀ ଆଜି ହତାଶ୍ ହୋଇପଡିଛନ୍ତି । ଦୋଷ ଓ ଚୋରୀ ଧରାପଡିବା ପରେ ତଳିଆ କର୍ମଚାରୀମାନଙ୍କ ଉପରେ ଦୋଷ ଲଦି ଦେଇ ବଡବଡିଆ ଅଫିସର ଏବଂ ଦଲାଲ୍‌ମାନେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଖସିଯାଉଛନ୍ତି । ‘ତଦନ୍ତ ହେଉଛି’ ବୋଲି କହି ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଓ ଧେର୍ଯ୍ୟ ସହ ଖେଳାଯାଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ବିଜେଡି ସରକାରରେ ‘ଶବ୍ଦ’ର ଅର୍ଥକୁ କଦର୍ଯ୍ୟ କରି ଯୁବ ସମାଜକୁ ପ୍ରତାରଣା କରାଯାଉଛି । ‘କଂଟ୍ରାକଚୁଆଲ ବ୍ୟବସ୍ଥା’କୁ ସମାପ୍ତ କରି ବର୍ତମାନ ‘ଆଉଟ୍ ସୋର୍ସିଂ ଏମ୍ପୋ୍ଲୟମେଂଟ’ର ବ୍ୟବସ୍ଥା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ନିଯୁକ୍ତି ପାଉଥିବା ଯୁବକଯବତୀମାନେ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାରମୟ କରିଦେଉଛନ୍ତି । ଅନିଶ୍ଚିତତା ଦେଇ ତାଙ୍କ ଭବିଷ୍ୟତ ଗତି କରୁଛି । କେତେବେଳେ ଦରମା ପାଇଁ ଆନ୍ଦୋଳନ କରୁଛନ୍ତି ତ କେତେବେଳେ ଚାକିରୀର ସ୍ଥାୟୀତ୍ୱ ପାଇଁ ଆନ୍ଦୋଳନ କରୁଛନ୍ତି । ତାଙ୍କ ସମସ୍ୟା ବିଷୟରେ ଶୁଣିବାକୁ ବି କେହି ନାହାନ୍ତି । କେବଳ ମିଥ୍ୟା ପ୍ରତିଶୃତି ବ୍ୟତୀତ ଆଉ କିଛି ମିଳୁନାହିଁ । ପରିବାର ପୋଷଣ କଥା ଛାଡି ଆଜି ସେମାନେ ରାଜରାସ୍ତାରେ ବସି ରହି ଆନ୍ଦୋଳନ କରିବା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରିଚୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଲୋୟର ପିଏମଜିଠାରେ ଆନ୍ଦୋଳନକାରୀଙ୍କୁ ଭେଟି ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳରେ ବରିଷ୍ଠ ନେତା ଶ୍ରୀ ସଜ୍ଜନ ଶର୍ମା, ଗୋବିନ୍ଦ ଅଗ୍ରୱାଲ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀରଂଜନ କାନୁନ୍‌ଗୋ, ସଂଜୟ ରଥ ପ୍ରମୁଖ ସାମିଲ ଥିଲେ ।