ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ “ପାଣି ନାହିଁ, ବିଜୁଳି ନାହିଁ : ମନୋଜ ମହାପାତ୍ର

ଭୁବନେଶ୍ୱର, ତା.୦୨/୧୦ : ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି । ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ‘ବିଜୁଳି ଶାସନ ଗଲାଣି ହୁଗୁଳି’ ବୋଲି ଜନତା ବାରମ୍ବାର କହୁଥିବା ବେଳେ ନବୀନ ଶାସନରେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ହୁଗୁଳି ପଡିଛି । ବିଜୁଳି ସମସ୍ୟା ଓଡ଼ିଶାରେ କାୟା ବିସ୍ତାର କରୁଥିବାବେଳେ ଶକ୍ତି ମନ୍ତ୍ରୀ କହିଥାନ୍ତି, ‘ଓଡ଼ିଶାରେ ବିଜୁଳି ସମସ୍ୟା ନାହିଁ’ । ତାହାଲେ ଗତ ୨ଦିନ ହେଲା ଏସ୍‌ସିବି ମେଡିକାଲରେ ବିଜୁଳି ସମସ୍ୟା କିପରି ସୃଷ୍ଟି ହେଲା ଏହାର ଉତର ଦେବେ କି ରାଜ୍ୟ ସରକାର? କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ସମସ୍ତଙ୍କୁ ପାଣି ଯୋଗାଉଥିବାବେଳେ ମେଡିକାଲ କଲେଜରେ ପାଣି ଟୋପେ ପାଇଁ ଡହଳ ବିକଳ ହେବାକୁ ପଡୁଛି । ଓଡ଼ିଶାରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନବୀନ ବାବୁ ତତ୍ପରତା ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି । ପାଣି ନାହିଁ, ବିଜୁଳି ନାହିଁ ଏମିତି ବିଶ୍ୱସ୍ତରୀୟ ମେଡିକାଲ କଲେଜ ଆମର ଦରକାର ନାହିଁ ବୋଲି ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଜି ଏସ୍‌ସିବି ଆଖିରେ ଲୁହ । ଦୁଇ ଦିନ ହେଲା ମେଡିସିନ, ନିଦାନ, ପୋଷ୍ଟମଂଟମ ବିଭାଗରେ ବିଦ୍ୟୁତ ନାହିଁ । ଗତକାଲିଠୁଁ ପାଣି ମଧ୍ୟ ନାହିଁ । ରାଜ୍ୟରେ ଶାସନ ବ୍ୟବସ୍ଥା କେଉଁଠି ଅଛି? ଉପାନ୍ତ ଅଚଂଳରେ କ୍ୟାଣ୍ଡେଲ ଲାଇଟରେ ଉପଚାର କଥା ଦେଖୁଥୁଲୁ । ଏବେ ଏସ୍‌ସିବି ଅବସ୍ଥା ଏଇୟା, ତେବେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା କଣ ତାହା ଏସ୍‌ସିବି ଜଣାଇ ଦେଉଛି । ଯଦି ନୈତିକତା ଅଛି ତାହାଲେ ସ୍ୱାସ୍ଥ୍ୟ ଓ ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଏସ୍‌ସିବିରେ ଉପୁଜିଥିବା ଏଭଳି ଦୟନୀୟ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ୍ ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଯେବେଠୁ ଓଡ଼ିଶାରେ ଅଣଓଡ଼ିଆ କବଜାରେ ଶାସନ ଚାଲିଛି, ସେବେଠାରୁ ରାଜ୍ୟରେ ଏଭଳି ଅବସ୍ଥା । ଶାସକ ଦଳର ବିଧାୟକ, ନେତାମାନେ ସଚିବଙ୍କ ଗସ୍ତ ପାଇଁ ମଂଚ ବାନ୍ଧିବା, ଚେୟାର ପକାଇବା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକେପ୍ଟରରେ ବୁଲି ବୁଲି ଓଡ଼ିିଶାବାସୀଙ୍କୁ ଭାଷଣ ମାଧ୍ୟମରେ ଭୂଆଁ ବୁଲାଉଛନ୍ତି । ସବୁ ଦେଖି, ଶୁଣିବି ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ହୋଇଛନ୍ତି । ୨୩ବର୍ଷ ନବୀନ ଶାସନରେ ରାଜ୍ୟର ଅବ୍ୟବସ୍ଥା କାୟା ବିସ୍ତାର କରିଛି, ଯାହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତାମାନେ ନୀତି ଓ ନୈତିକତାର ପାଠ ପଢ଼ାଉଛନ୍ତି । ଗତ ୨ଦିନ ଧରି ଏସ୍‌ସିବିରେ ବିଦ୍ୟୁତ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡେ ଗଲା? ଏସ୍‌ସିବି ମେଡିକାଲର ଆଜିକାର ପରିସ୍ଥିତି ଓଡ଼ିଶାବାସୀଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କ କରିଦେଇଛି । ପ୍ରଶ୍ନ ପଚାରିଲେ, ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି । ତାହେଲେ ଏହା କଣ ଜନବିରୋଧୀ ନୁହେଁ ? ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାର ଲୋକଙ୍କ ସମସ୍ୟା ବୁଝିବାରେ ଅକ୍ଷମ ତାହାଲେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।