ଶ୍ରୀମଦ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା :-

ବଡଚଣା ବ୍ଳକ ଅନ୍ତର୍ଗତ ରଇପୁର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାର ଆନୁକୁଲ୍ୟରେ ଶ୍ରୀମଦ୍ଭଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା ରଇପୁର ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ବରିଷ୍ଠ ଶିକ୍ଷାବିତ ତ୍ରିଲୋଚନ ସେନାପତି। ପାଠାଗାରର ମୁଖ୍ୟ ସଂଯୋଜକ ଭୂପେଶ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ଚରଣ ଦାଶ ମୁଖ୍ୟ ଅତିଥି ଓ ବ୍ରାଇଟ୍ ଫ୍ୟୁଚର ଏକାଡେମୀର ଅଧ୍ୟକ୍ଷ ଶିକ୍ଷାବିତ୍ ବାଇଧର ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପବିତ୍ର ଗୀତାର ସାରତତ୍ତ୍ଵକୁ ନିଜ ଜୀବନରେ ପ୍ରୟୋଗ କରି ସୁନାଗରିକ ହେବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ବିଶିଷ୍ଟ ସମାଜସେବୀ କଳାକାର ଓଡ଼ିଶାର ସଭାପତି କବି ସତ୍ୟବ୍ରତ ପୁହାଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜରୁ ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର ,କୁସଂସ୍କାର ଓ ଅନ୍ଧବିଶ୍ୱାସର ବିଲୋପ ପାଇଁ କାର୍ଯ୍ୟକରିବାକୁ ଛାତ୍ରସମାଜକୁ ଆହ୍ୱାନ ଦେଇଥିଲେ। ଆଖ ପାଖ ଅଞ୍ଚଳର ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କୁ ବିଚାରପତିଙ୍କ ମୂଲ୍ୟାଙ୍କନ ଅନୁଯାୟୀ ତିନୋଟି ସ୍ତର -ଅତି ଉତ୍ତମ, ଉତ୍ତମ ଓ ସଧାରଣର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମହନ୍ତ ପଣ୍ଡିତ ଉପେନ୍ଦ୍ର ପ୍ରସାଦ ଦାଶ , ପଣ୍ଡିତ ବାଇଧର ସେନାପତି ଓ ପଣ୍ଡିତ ନବୀନ କିଶୋର ଦାଶ ବିଚାରକ ଭାବେ ଯୋଗ ଦେଇଥିଲେ। ଶିକ୍ଷାବିତ୍ ଶିବ ପ୍ରସାଦ ପଟ୍ଟନାୟକ,ପଣ୍ଡିତ ରଞ୍ଜନ କୁମାର ନନ୍ଦ, ସମିତି ସଭ୍ୟ ବିଚିତ୍ରାନନ୍ଦ ଜେନା, ସମାଜସେବୀ ଜୟନ୍ତୀ ଦାଶ, ଶିକ୍ଷାବିତ୍ ଅଶୋକ କୁମାର ଭଞ୍ଜ ଓ କୈଳାସ ଚନ୍ଦ୍ର ସ୍ବାଇଁଙ୍କୁ ପାଠାଗାର ତରଫରୁ ସମ୍ମାନୀତ କରାଯାଇଥିଲା। ସମ୍ପାଦକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହିମାଂଶୁ ଭୂଷଣ ଜେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ବିଜୟ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଣ୍ତିତ ସୁଧୀର କୁମାର ସେନାପତି, ଲୋକନାଥ ସେନାପତି , ରଇପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ପରିଚାଳନା କମିଟିର ସଦସ୍ୟ ତଥା ପାଠାଗାରର କର୍ମକର୍ତ୍ତା ସହଯୋଗ କରିଥିଲେ।