ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପ୍ରତାରଣା ପାଲଟିଲା ସମାନ୍ ଦଶା ଏହି ନୂଆ ୩୪ଟି ଏନଏସି ଗଠନରେ ହେବନାହିଁ ତ? କେ. ଭି. ସିଂହଦେଓ

ଭୁବନେଶ୍ୱର, ତା.୨୪/୦୨:  ଆଜି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ନୂଆ ଏନଏସି ଘୋଷଣା କରିବାପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିବାକୁ ପଡେ, କ୍ୟାବିନେଟ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡେ । ଏହାକୁ ରାଜ୍ୟପାଳ ଅନୁମୋଦନ କଲାପରେ ଯାଇ କୌଣସି ନୂଆ ଏନଏସି ବା ନୂଆ ପୌରପରିଷଦ ଗଠନ କରାଯାଇଥାଏ । ଏବେ ଆଉ ନିର୍ବାଚନ ପୂର୍ବରୁ ବିଧାନସଭା ବସିବାର ନାହିଁ । ଆଜି ରାଜ୍ୟ ସରକାର ଘୋଷଣା କରିଥିବା ୩୪ଟି ନୂଆ ଏନଏସିକୁ ନେଇ କ୍ୟାବିନେଟରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ । ତେଣୁ ରାଜ୍ୟ ସରକାର କେଉଁଭଳି ଭାବରେ ହଠାତ୍ ରାତିଅଧିଆ ବିନା କ୍ୟାବିନେଟ୍ ଅନୁମୋଦନରେ, ବିନା ବିଧାନସଭା ଅନୁମୋଦନରେ, ବିନା ରାଜ୍ୟପାଳଙ୍କ ଅନୁମୋଦନରେ ଏହି ଘୋଷଣା କରିଛନ୍ତି ତାହା ବଡ ଆଶ୍ଚର୍ଯ୍ୟଜନକ ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।
ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡିଶା ମ୍ୟୁନିସିପାଲ ଆକ୍ଟ ୧୯୫୦, ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ୨୦୦୩ ଅନୁସାରେ ଓଡିଶାରେ କୌଣସି ନୂଆ ଏନଏସି ଘୋଷଣା କରିବା ପୂର୍ବରୁ ସେହି ଅଂଚଳରେ ଜଣଶୁଣାଣି କରାଯିବାର ନିୟମ ରହିଛି । କିନ୍ତୁ ରାଜ୍ୟ ସରକାର ନା କୌଣସି ଜାଗାରେ ଜନଶୁଣାଣି କରିଛନ୍ତି ନା କୌଣସି ନିର୍ବାଚିତ ଜନପ୍ରତିନିଧି ମାନଙ୍କର ମତାମତ ନେଇଛନ୍ତି । ଲୋକଙ୍କ ସୁବିଧା ଦୃଷ୍ଟିରୁ ନୂଆ ପୌରାଂଚଳ ଗଠନକୁ ବିଜେପି ସବୁବେଳେ ସମର୍ଥନ କରିବ । କିନ୍ତୁ ଯଦି ସରକାର କେବଳ ନିର୍ବାଚନ ପୂର୍ବରୁ ଘୋଷଣା କରି ଲୋକଙ୍କୁ ଠକିବା ପାଇଁ ଚାହୁଁଥିବେ ତାହେଲେ ଏହାକୁ ବରଦାସ୍ତ କରାଯିବନାହିଁ । ସମ୍ବିଧାନର ଅନୁଚ୍ଛେଦ-୧୨ ଓ ଧାରା-୨୪୩ (ଡବ୍ଲ୍ୟୁ) କୁ ଉଲ୍ଲଂଘନ କରି ନୂଆ ଏନଏସି ଘୋଷଣାର ମାନେ କିଛି ନାହିଁ । ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ନୂଆ ଜିଲ୍ଲା ଗଠନ ଆଜି ପ୍ରତାରଣାରେ ପରିଣତ ହୋଇଛି । ପଦ୍ମପୁର ଜିଲ୍ଲା ଘୋଷଣାକୁ ଯେଉଁଭଳି ଭାବରେ ବିଜୁ ଜନତା ଦଳ ସରକାର ପ୍ରାୟୋଜିତ ଢଙ୍ଗରେ ହାଇକୋର୍ଟରେ ନିଜର ଦଳୀୟ ଓକିଲଙ୍କୁ ଲଗାଇ ଜିଲ୍ଲା ଘୋଷଣା ନିଷ୍ପତି ଉପରେ ରୋକ୍ ଲଗାଇବାର ଷଡଯନ୍ତ୍ର କରାଇଥିଲେ ସେଭଳି ସମାନ ଢଙ୍ଗରେ ଏହି ନୂଆ ଏନଏସି ଗଠନ ଘୋଷଣାକୁ କରିବେ ନାହିଁ ତ?
ବିଜୁ ଜନତା ଦଳ ସରକାର ପ୍ରଶାସନିକ ସଂସ୍କାରରେ ଦେଶରେ ସବୁଠାରୁ ପଛରେ । ୧୯୯୨ରେ ହୋଇଥିବା ୭୪ତମ ସମ୍ବିଧାନ ସଂଶୋଧନରେ ପୌରସଂସ୍ଥାକୁ ଯେଉଁ କ୍ଷମତା ଦିଆଯାଇଛି ସେହି କ୍ଷମତାରୁ ଓଡିଶାରେ ବିଏମସି ସମେତ ୧୧୪ଟି ପୌରସଂସ୍ଥାକୁ ରାଜ୍ୟ ସରକାର ବଂଚିତ କରିଛନ୍ତି । ଏନେଇ ମାନ୍ୟବର ସିଏଜି ଅତୀତରେ ଆପତି ଉଠାଇ କହିଥିଲେ ଯେ, ଦିଆଯାଇଥିବା ୧୮ଟି କ୍ଷମତାରୁ ୧୭ଟି କ୍ଷମତା ଅତ୍ୟନ୍ତ ଖାମଖିଆଲି ଭାବେ ଦିଆଯାଇ ଲୋକପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଛି । ଏନେଇ ରାଜ୍ୟ ସରକାର ସ୍ଫଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।