କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣା ପ୍ରତିବାଦରେ ବିକ୍ଷୋଭ ଓ ସିବିଆଇ ତଦନ୍ତ ଦାବି କଲା ବିଜେପି :

ଭୁବନେଶ୍ୱର,ତା.୦୧/୦୯: ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାର ଚାଷୀମାନଙ୍କର ଆୟକୁ ଦୁଇଗୁଣିତ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ୫୦ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷିଯନ୍ତ୍ରପାତି କିଣା କାରବାରରେ ଓଡ଼ିଶାରେ ବ୍ୟାପକଭାବେ ଦୁର୍ନୀତି ହୋଇଛି । ପ୍ରକାଶଥାଉ କି, ଶାସକ ବିଜୁ ଜନତା ଦଳର ବିଧାୟକ କୃଷିଯନ୍ତ୍ରପାତି କିଣାରେ ତାଙ୍କ କମ୍ପାନୀ କୋଟି କୋଟି ଟଙ୍କା ଦୁର୍ନୀତି କରୁଥିବାର ଭିଜିଲାନ୍ସ ବିଭାଗ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏହା ନିନ୍ଦା କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ।
କେନ୍ଦ୍ର ସରକାର ଧାନ କ୍ୱିଂଟାଲ ୨୧୮୩ ଟଙ୍କା ଚାଷୀମାନଙ୍କୁ ଦେବାକୁ ଘୋଷଣା କରିଥିବାବେଳେ ଓଡ଼ିଶାର ଚାଷୀ ତାର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି ନକରିପାରି ଶାଗ ମାଛ ଦରରେ ୧୨ଶହ/୧୩ଶହ ଟଙ୍କାରେ ଦଲାଲକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି । ଏହି ଧାନକିଣା କାରବାରରେ ସରକାରୀ ଦଳର ନେତା, ମନ୍ତ୍ରୀ, ପ୍ରଶାସନିକ କଳ, ମିଲରମାନଙ୍କ ମଧୁଚନ୍ଦ୍ରିକାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି । ତେଣୁ ଏହାର ସିବିଆଇ ତଦନ୍ତ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପିଏମ୍ କିଷାନ ସମ୍ମାନନିଧି ଯୋଜନା ମାଧ୍ୟମରେ ୨ହଜାର କରି ତିନୋଟି କିସ୍ତିରେ ବର୍ଷକୁ ୬ହଜାର ଟଙ୍କା କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇନଥିବା କାରଣରୁ ୩୦ଲକ୍ଷରୁ ଅଧିକ ଚାଷୀ ଉକ୍ତ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ତାଲିକା ତୁରନ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାହୁ ଦାବି କରିଛନ୍ତି ।
କେନ୍ଦ୍ର ସରକାର ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଓ କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେଉଛନ୍ତି । ଗୋଟିଏ ୟୁରିଆ ସାର ବସ୍ତା ଉତ୍ପାଦିତ ମୂଲ୍ୟ ୨୭ଶହ ଟଙ୍କା ହୋଇଥିବାବେଳେ ତାକୁ ମାତ୍ର ୨୬୮ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାର ଚାଷୀ ରାଜ୍ୟ ସରକାର ସୀକୃତିପ୍ରାପ୍ତ ଡିଲର ପାଖକୁ ଯାଇ ସାର ନପାଇ ଖୋଲା ବଜାରରୁ ୫ଶହ ରୁ ୭ଶହ ଟଙ୍କାରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାର ତୁରନ୍ତ ସାରର ଏ କଳାବଜାର କାରବାରକୁ ବନ୍ଦ କରିବା ପାଇଁ ଶ୍ରୀ ସାହୁ ଦାବି କରିଛନ୍ତି ।