ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ, ବିରେନ ମିତ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଘରୁ କଳସରେ ମାଟି ସଂଗ୍ରହ କଲେ ବିଜେପି ରାଜ୍ୟ ସଭାପତି  :-

ଭୁବନେଶ୍ୱର / କଟକ, ତା.୦୪/୧୦: ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କଟକ ଦୋଳମୁଣ୍ଡାଇ ଛକରୁ ଓଡିଆ ବଜାରସ୍ଥିତ ସୁବାଷ ବୋଷଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ନେତାଜୀ ସୁବାଷ ବୋଷ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ, ବିରେନ ମିତ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଘରୁ କଳସରେ ମାଟି ସଂଗ୍ରହ କରିଥିଲେ ।
ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ସ୍ମୃତି ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ସିକନ୍ଦର ଅଲ୍ଲୀ, ଲକ୍ଷ୍ମୀଧର ପ୍ରଧାନ, ସିଏମସି କର୍ପୋରେଟର ଗଗନ ଓଝା, ଗୋପାଳ ବେହେରା ଓ ଲକ୍ଷ୍ମୀଧର ବେହେରା, ରଶ୍ମୀରେଖା ଦାଶ, କଳ୍ପନା ପଟ୍ଟନାୟକ, ଗୀତା ଦାଶ ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।