BJD ଉପରେ ବର୍ଷିଲେ ଅପରାଜିତା, ଟିକେଟ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ଲୋକସଭା ଆସନରୁ ପୁଣି ବିଜେପି ଟିକେଟରେ ଲଢିବେ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ଟିକଟ୍ ପାଇବା ପରେ ଅପରାଜିତା କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ସହ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅପରାଜିତା ୨୦୧୯ରେ ମଧ୍ୟ ଭୁବନେଶ୍ୱର ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ତା’ସହ ରାଜ୍ୟରେ ବିଜେଡି ସରକାର ଉପରେ ବି ବର୍ଷିଛନ୍ତି ଅପରାଜିତା ।

କହିଛନ୍ତି କେବଳ ଭୋଟ୍ ସମୟରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଉଥିବା ବେଳେ ପରେ ଶାସନ ଅନ୍ୟ ଜଣଙ୍କ ହାତରେ ରହୁଛି । ‘ଓଡ଼ିଶାରେ ଅଣ୍ଡର କରେଣ୍ଟ ଚାଲିଛି, ୧୫ରୁ ଊର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବୁ ବୋଲି ଓଟିଭିକୁ ସାକ୍ଷାତକାର ଦେଇ ଦମ୍ଭୋକ୍ତି କରିଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ଓଡ଼ିଶାର ମୋଟ ୨୧ ଆସନରୁ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆଉ ୩ ଆସନ ପାଇଁ ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ । କଟକ, ଯାଜପୁର ଓ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସେହିପରି ଘୋଷଣା ହୋଇଥି‍ବା ୧୮ଟି ଲୋକସଭା ଆସନରୁ ୬ଟି ଆସନରେ ପ୍ରାର୍ଥୀ ବଦଳା ଯାଇଛି ।

କଳାହାଣ୍ଡି, ସମ୍ବଲପୁର, ବରଗଡ଼, ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳିଲେ। ସେହିପରି ମୟୂରଭଞ୍ଜ ଓ କୋରାପୁଟ ଆସନ ପାଇଁ ବି ବଦଳିଲେ ପ୍ରାର୍ଥୀ । ଅନ୍ୟପଟେ ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର ।