‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି।

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ। ସେ କହିଛନ୍ତି, ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ। ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା। ବଳକା ବିଜୁଳି ବିକି ଲାଭବାନ ହୋଇପାରିବେ ଉପଭୋକ୍ତା।

ମୋଦି ଆହୁରି କହିଛନ୍ତି, ଓଡ଼ିଶାର ସଂକଳ୍ପ କଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି। ଦେଶରେ ପୁଣି ଥରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଗଢ଼ିବାକୁ ଯାଉଛି। ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ। ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି। ଓଡ଼ିଶା ବିକଶିତ ଭାରତର ଗେଟ୍‌ ୱେ ହେଉ। ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି।