ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ।
ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପାଟନାରେ ଏଭଳି ଘଟଣା ରାଜନୀତିକୁ ଅଧିକ ତେଜିଛି । କୁହାଯାଉଛି, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ଯୁବ ନେତା ଥିଲେ। ତାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବେଶ୍ ନିକଟତର ବି ଥିଲେ।
ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।