ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଘରୁ ବାହାରିବା ମୁସ୍କିଲ..

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି।ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

କେନ୍ଦୁଝରରେ ୩୫.୬ ଡିଗ୍ରୀ, ତାଳଚେର, ବାରିପଦା ଓ ଅନୁଗୁଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୩.୬ ଡିଗ୍ରୀ ରହିଛି ତାତି । ଉପକୂଳରୁ ଉପାନ୍ତ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆଜିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଜି ପାଇଁ ୯ ଜିଲ୍ଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ସିଭିୟର ହିଟୱେଭ୍ ନେଇ ରେଡ୍ ଆଲର୍ଟ ଦିଆଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ରେଡ୍ ଓ ୧୪ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୮ ତାରିଖ ପାଇଁ ସାରା ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।