ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ..

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କମଳା ଦାସ । ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା। ଯେଉଁଥିପାଇଁ ସେ ଦୀର୍ଘଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କମଳା ଦାସଙ୍କ ଭଣଜା ।

ସୂଚନା ଅନୁସାରେ ଭୋଗରାଇ ବିଧାନସଭା ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କମଳା ଦାସ । ୧୯୯୦ ମସିହାରେ ପ୍ରଥମଥର ପାଇଁ ସେ ଜନତା ଦଳ ଟିକେଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ । ଏହା ପରେ ୧୯୯୫ ଓ ୨୦୦୦ ମସିହାରେ ମଧ୍ୟ ଭୋଗରାଇରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ।