ଦିନକ ପରେ ଦେଶରେ ଚତୁର୍ଥ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ..

ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପାଖେଇ ଆସୁଛି ସମୟ । ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ । ଦିନକ ପରେ ହେବ ମତଦାନ ।

ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ ।

ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ।

ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଜୋରଦାର ରୋଡ୍‌ ସୋ’ କରିଛନ୍ତି । ଯାହାଫଳରେ ସରଗରମ ହୋଇଛି ରାଜନୈତିକ ମହୋଲ । ରୋଡ୍‌ ସୋ’ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଦେଖି ଖୁସିବ୍ୟକ୍ତ କରିଥିଲେ ମୋଦି । ରୋଡ୍‌ ସୋ’ ପରେ ମୋଦି କହିଛନ୍ତି ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ । 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ରୋଡ୍ ସୋ’ ପରେ ଆଜି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ । ସକାଳ ପ୍ରାୟ ୯ଟାରେ ରାଜଭବନରୁ ବାହାରିବେ । ୯.୦ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ୧୦.୨୦ରେ କନ୍ଧମାଳ ହେଲିପ୍ୟାଡ୍‌, ଫୁଲବାଣୀରେ ପହଞ୍ଚିବେ । ସାଢ଼େ ୧୦.୩୦ରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।

ଜନସଭା ସାରି ସେଠାରୁ ହେଲିକପଟରରେ ବଲାଙ୍ଗିର ଅଭିମୁଖେ ବାହାରିବେ । ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି ।