ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, କିଛି ଅଞ୍ଚଳରେ ପାରଦ ଛୁଇଁବ ୪୫ ଡିଗ୍ରୀ..

ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି ଜିଲ୍ଲା । ତେଣୁ ଏହି ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

ଆଗାମୀ ୫ ଦିନ ଯାଏଁ ଦିନରେ ଖରା ଓ ରାତିର ଗରମ ଲୋକଙ୍କୁ ନାକେଦମ୍ କରିବ । ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପାଗ ଶୁଖିଲା ରହିବ । ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା ସହ କିଛି ସ୍ଥାନରେ ୪୨ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ମୁଖ୍ୟ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଳବୈଶାଖୀ ବର୍ଷା ଯୋଗୁଁ ଦିନରେ ତାତି ଓ ଅପରାହ୍ଣରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଆଜି ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳରେ ତାପମାତ୍ରା ୪୪ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂବ ର୍ାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।